Skip to Content

ଜମ୍ମୁ-କାଶ୍ମୀରରେ ପ୍ରକୃତିର ପ୍ରକୋପ ଜାରି: ଭୂସ୍ଖଳନରେ ୧୧ ମୃତ

ଜମ୍ମୁ-କାଶ୍ମୀରରେ ପ୍ରକୃତି ତାଣ୍ଡବ ରଚିଛି। ବାଦଲଫଟା ବର୍ଷା ଓ ଭୂସ୍ଖଳନ‌ରେ ଜମ୍ମୁ-କାଶ୍ମୀରରେ ଆଜି ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି।  ରମ୍ବନ ଜିଲ୍ଲାରେ ବାଦଲଫଟା‌ ବର୍ଷା ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି।

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପ୍ରକୃତି ତାଣ୍ଡବ ରଚିଛି। ବାଦଲଫଟା ବର୍ଷା ଓ ଭୂସ୍ଖଳନ‌ରେ ଜମ୍ମୁ-କାଶ୍ମୀରରେ ଆଜି ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି।  ରମ୍ବନ ଜିଲ୍ଲାରେ ବାଦଲଫଟା‌ ବର୍ଷା ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଅନ୍ୟପକ୍ଷେ ପୃଥକ ଘଟଣାରେ ପଡ଼ୋଶୀ ରିଆସି ଜିଲ୍ଲାର ଏକ ଗ‌ାଁରେ ଭୂସ୍ଖଳନ ହେବା ଫଳରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଛି। ରିଆସି ଜିଲ୍ଲାର ମାହୋର ଅଞ୍ଚଳସ୍ଥିତ ବଦର ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଏକ ବିଶାଳ ଭୂସ୍ଖଳନ ହେବା ଫଳରେ ଉକ୍ତ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସ୍ପଷ୍ଟ କରିଛି। 

ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି ଏବଂ ସେମାନଙ୍କ ବୟସ ଯଥାକ୍ରମେ ୪, ୬, ୮, ୧୦, ୧୨।ଜଣେ ଅଧିକାରୀ କହିଛନ୍ତି, ଆଜି ଭୋର୍‌ ସମୟରେ ରମ୍ବନ ଜିଲ୍ଲାର ରାଜଗଡ଼ରେ ବାଦଲଫଟା ବର୍ଷା ହୋଇଥିଲା। ଏହାଦ୍ବାରା ଅଞ୍ଚଳରେ ଅଚାନକ ବନ୍ୟା ଏବଂ ଭୂସ୍ଖଳନ ହୋଇ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। କର୍ତ୍ତୃପକ୍ଷ ଏହି ଅଞ୍ଚଳରେ ଉଦ୍ଧାର ଅପରେସନ୍‌ ଜାରି ରଖିଛନ୍ତି। ଏସ୍‌ଡିଆର୍‌ଏଫ୍‌, ପୁଲିସ, ସ୍ଥାନୀୟ ଲୋକମାନେ  ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।  



ଉଲ୍ଲେଖଯୋଗ୍ୟ, ପାଣିପାଗ ବିଭାଗ ରମ୍ବନ ଜିଲ୍ଲା ସମେତ ଜମ୍ମୁ ଅଞ୍ଚଳରେ ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ଅଚାନକ ବନ୍ୟା ଆସିବ ବୋଲି ଆକଳନ କରିଥିଲା। ଅଗଷ୍ଟ ୩୦ ବିଳମ୍ବିତ ରାତିରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ରମ୍ବନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି ହୋଇଛି। ଚଳିତ ସପ୍ତାହରେ ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଛି।  କେବଳ ଜମ୍ମୁ ଡିଭିଜନ୍‌ରୁ ୫୪ ଜଣଙ୍କର ମୃତ୍ୟୁ ‌ହୋଇଥିବାବେଳେ କାଶ୍ମୀର ଡିଭିଜନ୍‌ରେ ୨ ଜଣଙ୍କର ମୃତ୍ୟୁ ହୋଇଛି।  କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଇଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଏହି ଘଟଣାରେ ‌ଦୁଃଖପ୍ରକାଶ କରିଛନ୍ତି ଏବଂ ବିପଦ ଥିବା ଅଞ୍ଚଳରୁ  ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୨୬ ତାରିଖରେ ବୈଷ୍ଣୋଦେବୀ ଯାତ୍ରାପଥରେ ଏକ ବଡ଼ଧରଣର ଭୂସ୍ଖଳନ ହେବା ଫଳରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୩ ଜଣ ଗୁରୁତର ଆହତ ହୋଇଥିଲେ।


ଜମ୍ମୁ-କାଶ୍ମୀରରେ ପ୍ରକୃତିର ପ୍ରକୋପ ଜାରି: ଭୂସ୍ଖଳନରେ ୧୧ ମୃତ
Legendary Odisha 31 August 2025
Share this post
Archive
🏥
Full E-Clinic Setup Service
AI-Powered Healthcare Technology Solutions
Get Started