Skip to Content

ବାଇକ୍ ଧକ୍କାକୁ ନେଇ ତୁମୁଳକାଣ୍ଡ: ଯୁବକଙ୍କୁ ମାଡ଼ ମାରି ଚଳନ୍ତା ଗାଡ଼ି ଆଗକୁ ଫିଙ୍ଗିଦେଲେ

9 July 2025 by
ବାଇକ୍ ଧକ୍କାକୁ ନେଇ ତୁମୁଳକାଣ୍ଡ: ଯୁବକଙ୍କୁ ମାଡ଼ ମାରି ଚଳନ୍ତା ଗାଡ଼ି ଆଗକୁ ଫିଙ୍ଗିଦେଲେ
Legendary Odisha

ଖୁଣ୍ଟୁଣୀ ଥାନା ମହାକାଳବସ୍ତ ଠାରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାଇକ୍ ଧକ୍କାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ତାଙ୍କ ଭାଇ ସମ୍ମୁଖରେ ନିସ୍ତୁକ ମାଡ଼ମାରି ଚଳନ୍ତା ଗାଡ଼ି ଆଗକୁ ଫିଙ୍ଗି ଦେଇଛନ୍ତି।

ଖୁଣ୍ଟୁଣୀ: ଖୁଣ୍ଟୁଣୀ ଥାନା ମହାକାଳବସ୍ତ ଠାରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାଇକ୍ ଧକ୍କାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ତାଙ୍କ ଭାଇ ସମ୍ମୁଖରେ ନିସ୍ତୁକ ମାଡ଼ମାରି ଚଳନ୍ତା ଗାଡ଼ି ଆଗକୁ ଫିଙ୍ଗି ଦେଇଛନ୍ତି। କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୁଣ୍ଟୁଣୀ ଥାନା ଘଣ୍ଟିଖାଲ ପଞ୍ଚାୟତ ଦ୍ୱାରାବତୀପୁର ଗ୍ରାମର ଅମର ରାଉତଙ୍କ ପୁଅ କାହ୍ନୁ ରାଉତ(୨୮)। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଓ ପରିବାର ଲୋକ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦ୍ୱାରାବତୀପୁରଠାରେ ଶବ ରଖି ରାସ୍ତାରୋକ କରିଛନ୍ତି।

ଅଭିଯୋଗ ମୁତାବକ ଦ୍ୱାରାବତୀପୁର ଗ୍ରାମର କାହ୍ନୁ ଗତକାଲି ରାତିରେ ଆଠଗଡ଼ରୁ କାମ ସାରି ବାଇକ୍‌ରେ ଫେରୁଥିଲେ। ଏହି ସମୟରେ ଗ୍ରାମର କୃଷ୍ଣଚନ୍ଦ୍ର ସେଠୀ ତାଙ୍କ ପତ୍ନୀଙ୍କ ସହ ବାଇକ୍‌ରେ ଯାଉଥିବା ବେଳେ ମହାକାଳବସ୍ତ ଠାରେ କାହ୍ନୁଙ୍କ ବାଇକ୍ ସହ ଧକ୍କା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସଂଘବଦ୍ଧ ଭାବେ କାହ୍ନୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ କାହ୍ନୁଙ୍କ ବଡ଼ଭାଇ ଅଭିମନ୍ୟୁ ଘଟଣାସ୍ଥଳରେ ପହଞ୍ଚି ଭାଇକୁ ଛାଡ଼ିଦେବା ପାଇଁ ଅନୁରୋଧ କରିଥିଲେ ବି କେହି ଶୁଣି ନଥିଲେ। ବଡ଼ଭାଇ ଆଗରେ ସେମାନେ କାହ୍ନୁଙ୍କୁ ମାଡ଼ମାରି ଏକ ଚଳନ୍ତା ଗାଡ଼ି ଆଗକୁ ଫିଙ୍ଗି ଦେଇଥିଲେ। ଗାଡ଼ିଟି କାହ୍ନୁଙ୍କ ଉପରେ ଚଢ଼ିଯିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ ବୋଲି ଅଭିମନ୍ୟୁ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

କାହ୍ନୁଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଜିମସାର ହସ୍ପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ କାହ୍ନୁଙ୍କ ମୃତ୍ୟୁ ଘଟିଥିଲା।  ମୃତଦେହ ବ୍ୟବଚ୍ଛେଦ ପରେ ଗ୍ରାମକୁ ଆସିବା ପରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ପରିବାରକୁ କ୍ଷତିପୂରଣ ଦାବି କରି ମୃତ କାହ୍ନୁଙ୍କ ପରିବାର ଲୋକ ଓ ଗ୍ରାମବାସୀ ରାସ୍ତା ଉପରେ ଶବ ରଖି  ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଚୌଦ୍ୱାର ଏସ୍‌ଡିପିଓ ଉମାକାନ୍ତ ନାୟକ, ଖୁଣ୍ଟୁଣୀ ଆଇଆଇସି ରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଆଠଗଡ଼ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ରେଡ୍‌କ୍ରସ୍ ପାଣ୍ଠିରୁ  ମୃତକଙ୍କ ପରିବାରକୁ ସହାୟତା ବ୍ୟବସ୍ଥା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଏ ସଂକ୍ରାନ୍ତରେ ଖୁଣ୍ଟୁଣୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଶ୍ରୀ ପ୍ରଧାନ କହିଛନ୍ତି |


in News
ବାଇକ୍ ଧକ୍କାକୁ ନେଇ ତୁମୁଳକାଣ୍ଡ: ଯୁବକଙ୍କୁ ମାଡ଼ ମାରି ଚଳନ୍ତା ଗାଡ଼ି ଆଗକୁ ଫିଙ୍ଗିଦେଲେ
Legendary Odisha 9 July 2025
Share this post
Archive
🏥
Full E-Clinic Setup Service
AI-Powered Healthcare Technology Solutions
Get Started